କରୋନା ଆଣିବ ବଡ଼ ମାନ୍ଦାବସ୍ଥା, ସାରା ବିଶ୍ବ ଏହା କବଳରେ ପଡ଼ିବ
1 min readନୂଆଦିଲ୍ଲୀ : କରୋନା ଭୂତାଣୁକୁ ନେଇ ରେଟିଂ ଏଜେନ୍ସି ମୁଡିସ୍ ବଡ଼ ଆକଳନ କରିଛି। ଏହା ଜଣାଇଛି ଯେ ଯଦି କରୋନା ମହାମାରୀର ରୂପ ନେବ ତେବେ ସମଗ୍ର ବିଶ୍ବ ମାନ୍ଦାବସ୍ଥା କବଳରେ ପଡ଼ିଯିବ। ଶେଷ ଥର ଲାଗି ୨୦୦୮ରେ ବିଶ୍ବ ଅର୍ଥନୈତିକ ମାନ୍ଦାବସ୍ଥା ଦେଖାଦେଇଥିଲା। କରୋନାର ପ୍ରଭାବ ଏବେ ଚୀନ୍ ଅର୍ଥନୀତି ପର୍ଯ୍ୟନ୍ତ ସୀମିତ ରହିଛି। ମାତ୍ର କିଛି ଦିନ ଭିତରେ ଏହି ଭୂତାଣୁ କୋରିଆ, ଇରାନ ଓ ଇଟାଲିରେ ଦ୍ରୁତ ଗତିରେ ବ୍ୟାପୀବାରେ ଲାଗିଛି। ତେଣୁ ଏହା ମହାମାରୀର ରୂପ ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହା ଏବେ ସାରା ବିଶ୍ବର ଅର୍ଥନୀତି ପାଇଁ ବିପଦରେ ପରିଣତ ହୋଇଗଲାଣି। କରୋନା ପ୍ରଭାବରେ ଚୀନ୍ରେ ବ୍ୟବସାୟ ଓ ପର୍ଯ୍ୟଟନ ଜଗତ ଠପ୍ ହୋଇଯାଇଛି। ବିଶ୍ବର କୌଣସି ଦେଶର ବ୍ୟକ୍ତି ଚୀନ୍ ଯିବାକୁ ଚାହୁନାହାନ୍ତି। ଚୀନ୍ର ନାଗରିକମାନେ ମଧ୍ୟ ଅନ୍ୟ ଦେଶକୁ ଯାଇପାରୁନାହାନ୍ତି। ଏହା ଦ୍ବାରା ଆମେରିକା ଓ ୟୁରୋପର ଅର୍ଥନୀତି ପ୍ରଭାବିତ ହେବା ଆରମ୍ଭ ହୋଇଗଲାଣି। ଆମେରିକାର ସର୍ବାଧିକ ବିଦେଶୀ ପର୍ଯ୍ୟଟକ ଚୀନ୍ରୁ ଆସିଥାନ୍ତି।
ଆମେରିକୀୟ ପ୍ରଯୁକ୍ତି କଂପାନି ଆପଲ୍ ପାଇଁ ଉତ୍ପାଦ ନିର୍ମାଣ କରୁଥିବା ସଂସ୍ଥା ଫକ୍ସକନ୍ ମଧ୍ୟ ଚୀନ୍ରେ ରହିଛି। ସେଠାରେ କାରଖାନା ବନ୍ଦ ରହିଥିବାରୁ ଆପଲ୍କୁ ବଡ଼ ଝଟ୍କା ଲାଗିଛି। କ୍ରୀଡ଼ା ଉପକରଣ ନିର୍ମାତା ନାଇକ୍ ଓ କାର୍ କଂପାନି ଜେନେରାଲ୍ ମୋଟର୍ସକୁ ମଧ୍ୟ ଝଟ୍କା ଲାଗିଛି। ଗତ ଜାନୁଆରି ୩ରୁ ଫେବ୍ରୁଆରି ୨ ପର୍ଯ୍ୟନ୍ତ ଚୀନ୍ରେ କରୋନାର ତାଣ୍ଡବ ଉଚ୍ଚ ସ୍ତରରେ ଥିଲା। ଏହା ପରେ ସେଠାରେ ନୂଆ କରୋନା ଭୂତାଣୁ ମାମଲା ସଂଖ୍ୟା କମିବାରେ ଲାଗିଛି। ମାତ୍ର ଅନ୍ୟ ଦେଶଗୁଡ଼ିକରେ ଏହି ଭୂତାଣୁ ଜନିତ ମାମଲାରେ ଘଟୁଥିବା ବୃଦ୍ଧି ଅର୍ଥନୀତିଜ୍ଞମାନଙ୍କୁ ଚିନ୍ତାରେ ପକାଇ ଦେଇଛି।