Mon. Feb 24th, 2025

ରାଜ୍ୟ ମନ୍ତ୍ରୀ ପରିଷଦର ଶେଷ ବୈଠକ

1 min read
Spread the love
ଭୁବନେଶ୍ୱର: ୨୦୧୪ ମେ ୨୧ ତାରିଖରେ କ୍ରମାଗତ ଚତୁର୍ଥ ଥର ପାଇଁ ରାଜ୍ୟରେ ଶାସନଭାର ସମ୍ଭାଳିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଦିନ ସଂଧ୍ୟାରେ ମନ୍ତ୍ରୀ ପରିଷଦର ବୈଠକ ବସି ବିଜେଡ଼ିର ନିର୍ବାଚନୀ ଇସ୍ତାହାରକୁ ସରକାରୀ ନୀତି ଭାବେ ଗ୍ରହଣ କରାଯାଇଥିଲା । ଏବେ ୫ ବର୍ଷ ସରିବା ବେଳକୁ ଏହି ନୀତି କେତେଦୂର କାର୍ଯ୍ୟକାରୀ ହୋଇଛି, ଆଜି ମନ୍ତ୍ରୀ ପରିଷଦ ଶେଷ ବୈଠକରେ ସମୀକ୍ଷା କରାଯାଇଥିଲା । ନିର୍ବାଚନୀ ପ୍ରତିଶ୍ରୁତି ପାଳନରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି । ଇତିହାସରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟବାସୀଙ୍କୁ ହିସାବର ସିଧା ପ୍ରସାରଣ କରାଯାଇଛି ।
ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ ହୋଇ କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆର୍ଶିବାଦ ଓ ଓଡ଼ିଶାବାସୀଙ୍କ ଶୁଭେଚ୍ଛା ସହ ମୁଁ ଓଡ଼ିଶାର ସେବା କରି ଚାଲିଛି । ମୋ ପରିବାର ପାଖରେ ମୁଁ ଯାହା କଥା ଦେଇଥିଲି, ତାକୁ ପୂରଣ କରିଛି । ପରିବାର ପାଖରେ ଯାହା କଥା ଦେବି, ତାକୁ ପୂରଣ କରି ନୂଆ ଓଡ଼ିଶା ଗଠନ ପାଇଁ କାମ କରିଚାଲିବି । ଆପଣମାନଙ୍କ ଆର୍ଶିବାଦ ହିଁ ମୋର ଶକ୍ତି ।
ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି କେତେ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ତାହାର ରିପୋର୍ଟ କାର୍ଡ ଉପସ୍ଥାପନା କରିଥିଲେ ।
– ୫ ବର୍ଷ ମଧ୍ୟରେ ୧୦ ଲକ୍ଷ ହେକ୍ଟର ଅତିରିକ୍ତ ଜଳସେଚନ ସୁବିଧା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ଆଜି ସୁଦ୍ଧା ଅତିରିକ୍ତ ୯ ଲକ୍ଷ ହେକ୍ଟର ଜଳସେଚନ ସୁବିଧା କରାଯାଇଛି । ମଇ ୨୦୧୯ ସୁଦ୍ଧା ୧୦ ଲକ୍ଷ ହେକ୍ଟର ଲକ୍ଷ୍ୟ ପୂରଣ ହେବ ।
– ୨୦୧୫ ରୁ ଚାଷୀଙ୍କୁ ୧ ପ୍ରତିଶତ ସୁଧରେ ଫସଲ ଋଣ ଦିଆଯାଉଥିଲା । ବର୍ତ୍ତମାନ କାଳିଆ ଯୋଜନାରେ ଚାଷୀଭାଇଙ୍କୁ ବିନା ସୁଧରେ ଋଣ ଦିଆଯାଉଛି ।
– ୨୦୧୪ରେ ରାଜ୍ୟର ଗ୍ରାମାଞ୍ଚଳର ସବୁ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ଆଜି ରାଜ୍ୟ ସରକାର ରେକର୍ଡ ସଂଖ୍ୟକ ୨୦ ଲକ୍ଷ ପକ୍କା ଘର ନିର୍ମାଣ କରିପାରିଛନ୍ତି ।
– ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷାର ପ୍ରତିଶ୍ରୁତି ପୂରଣ କରି ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି ।
– ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷାର ପ୍ରତିଶ୍ରୁତି ପାଳନ କରାଯାଇଛି । ରାଜ୍ୟ ସରକାର ନିଜସ୍ୱ ଯୋଜନାରେ କେଜି ୧ ଟଙ୍କାରେ ଚାଉଳ ଯୋଗାଉଛନ୍ତି ।
– ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ପ୍ରତିଶ୍ରୁତିକୁ ପାଳନ କରାଯାଇଛି । ସରକାର ବର୍ତ୍ତମାନ ସୁଦ୍ଧା ୧୯୦ଟି ମଡ଼େଲ ସ୍କୁଲ ପ୍ରତିଷ୍ଠା କରିଛନ୍ତି । ଖୁବଶୀଘ୍ର ୩୧୪ ଟି ବ୍ଲକ୍ ରେ ନିର୍ମାଣ ସମ୍ପୂର୍ଣ୍ଣ ହେବ ।
– ଉଚ୍ଚଶିକ୍ଷା ପାଇଁ ବ୍ୟାପକ ଯୋଜନା କରାଯାଇଛି । ବର୍ତ୍ତମାନ ସୁଦ୍ଧା ଯୁବକଯୁବତୀଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୨ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି । କେବଳ ସରକାରୀସ୍ତରରେ ୧ ଲକ୍ଷ ୧୨ ହଜାର ନିଯୁକ୍ତି ଦିଆଯାଇଛି ।
– ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ମିଶନ ଶକ୍ତି ମା ମାନଙ୍କୁ ୧ ପ୍ରତିଶତ ସୁଧରେ ଋଣ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ଆଜି ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଓ ୭୦ ଲକ୍ଷ ମହିଳାଙ୍କ ପାଇଁ ବିନା ସୁଧରେ ଋଣ ଦିଆଯାଉଛି ।
– ଶିଳ୍ପ କ୍ଷେତ୍ରରେ ଅନେକ ସଫଳତା ମିଳିଛି । ୫ ବର୍ଷରେ ଦୁଇଥର ମେକ୍ ଇନ ଓଡ଼ିଶା କାର୍ଯ୍ୟକ୍ରମରୁ ଅଦ୍ଭୂତପୂର୍ବ ସଫଳତା ମିଳିଛି । ଏହାଦ୍ୱାରା ୩୦ ଲକ୍ଷ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇଛି ।
– ଅନୁସୂଚୀତ ଜନଜାତି ଓ ଜାତି ବର୍ଗର ଜନସାଧାରଣଙ୍କ ବିକାଶ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରାଯାଇଛି ।
– ଶ୍ରମିକମାନଙ୍କ କଲ୍ୟାଣ କ୍ଷେତ୍ରରେ ଓଡ଼ିଶା ଏକ ମଡ଼େଲ ହୋଇପାରିଛି ।
– ବିଭିନ୍ନ ସହରର ବସ୍ତିରେ ରହୁଥିବା ଗରିବ ଲୋକଙ୍କ ପାଇଁ ଜଗା ମିଶନରେ ଜମି ଅଧିକାର ଦିଆଯାଇଥିବା ବେଳେ କର୍ପୋରେସନ ଅଞ୍ଚଳରେ ସମ୍ପତ୍ତି ଅଧିକାର ଦିଆଯାଉଛି ।
– ପଶ୍ଚିମ ଓଡ଼ିଶାର ବିକାଶ ଓ କେବିକେ ଅଞ୍ଚଳର ଉନ୍ନତି ପାଇଁ ପଦକ୍ଷେପ ନିଆଯାଇଛି ।
ଏହି ଅବସରରେ କାଳିଆ ଯୋଜନାର ୪ ଲକ୍ଷ ୮୦ ହଜାର ଅତିରିକ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସହାୟତା ଜମା କରିବା କାର୍ଯ୍ୟର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ।

ଭାଣ୍ଡିଆ ହେଲା ଲାଇଭ୍

ଆଜି ପ୍ରଥମ ଥର ପାଇଁ ମନ୍ତ୍ରୀ ପରିଷଦ ବୈଠକର ସିଧା ପ୍ରସାରଣ ବ୍ୟବସ୍ଥା କରାଯାଇଥିଲା । ସେଥିପାଇଁ ସବୁ ଖବରକାଗଜରେ ଅଧପୃଷ୍ଠିଆ ସରକାରୀ ବିଜ୍ଞାପନ ବି ଦିଆଯାଇଥିଲା । ବିଜ୍ଞାପନ ପଢ଼ି ଅପରାହ୍ନରେ ଟିଭିରୁ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଶୁଣିବା ପାଇଁ ରାଜ୍ୟବାସୀ ଚାହିଁ ବସିଥିଲେ । ମାତ୍ର ସିଧା ପ୍ରସାରଣରେ ବିଭ୍ରାଟ୍ ଘଟିବାରୁ ଗୋଳମାଳିଆ ହୋଇଥିଲା । ବୈଠକ ଆରମ୍ଭରୁ ମୁଖ୍ୟମନ୍ତ୍ରୀ କ’ଣ କହୁଥିଲେ ତାହା ଶୁଭୁ ନ ଥିଲା । ମନ୍ତ୍ରୀ ବିକ୍ରମ ଆରୁଖଙ୍କ କଥା ବି ଶୁଭୁ ନ ଥିଲା । ଅଡ଼ିଓ ବିଭ୍ରାଟ୍ ପରେ ପରେ ଟିଭି ସ୍କ୍ରିନ୍ ଅନ୍ଧାର ବି ହୋଇଯାଇଥିଲା । ଛବି ଆସୁଥିଲା ଯାଉଥିଲା । ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ବେଳେ ବେଳେ ଶୁଭୁଥିଲା ତାପରେ କଟି ଯାଉଥିଲା । ବିଭ୍ରାଟ ସଜଡ଼ା ହୋଇ ନ ପାରିବାରୁ ଇସ୍ତାହାର ପାଳନ ସମ୍ପର୍କିତ ଏକ ଭିଡ଼ିଓ ଡକ୍ୟୁମେଣ୍ଟାରି ପ୍ରଦର୍ଶନରେ କାମ ଚଳାଇ ଦିଆଯାଇଥିଲା । ପରେ ଗଣମାଧ୍ୟମକୁ ଡକାଯାଇ ସରକାରଙ୍କ ରିପୋର୍ଟ କାର୍ଡକୁ ମୁଖ୍ୟମନ୍ତ୍ରୀ ପୁଣି ଥରେ ପଢ଼ି ଶୁଣାଇଥିଲେ ।
ରାଜ୍ୟ ସରକାରଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ତାହା ପୁଣି ମନ୍ତ୍ରୀ ପରିଷଦର ଶେଷ ବୈଠକର ପ୍ରଥମ ଲାଇଭ୍ ପ୍ରସାରଣରେ ଏତେ ବଡ଼ ବିଭ୍ରାଟ୍ ସମସ୍ତଙ୍କୁ ଚକିତ କରିଛି । ବିଭ୍ରାଟ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ କର୍ତ୍ତୃପକ୍ଷଙ୍କ ଖାମଖିଆଲ ଆଚରଣକୁ ସମସ୍ତେ ଦାୟୀ କରିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଯେଉଁ ସଂସ୍ଥାକୁ ସିଧା ପ୍ରସାରଣ କାମ ଦିଆଯାଇଥିଲା ସେ ନିଜେ ନ କରି ଅନ୍ୟ ଜଣଙ୍କୁ ସବଲେଟିଂ କରିଥିଲେ । ସଂପୃକ୍ତ ବ୍ୟକ୍ତିଙ୍କର ସିଧା ପ୍ରସାରଣ କ୍ଷେତ୍ରରେ ଅଭିଜ୍ଞତା ଅଛି କି ନାହିଁ ତାହା ସରକାରୀ ଅଧିକାରୀଙ୍କୁ ଜଣା ନ ଥିଲା । କଟକରେ ରହୁଥିବା ଏହି ବ୍ୟକ୍ତିଜଣଙ୍କ ବିଜେପିର ସମସ୍ତ ଲାଇଭ୍ କାର୍ଯ୍ୟକ୍ରମର ଦାୟିତ୍ୱ ତୁଲାଉଥିବା ବେଳେ ଆଜି ସଚିବାଳୟରେ କ’ଣ ଅସୁବିଧା ହେଲା ଜଣାପଡ଼ିନାହିଁ ।
ମୁଖ୍ୟମନ୍ତ୍ରୀ ପ୍ରତାରଣା କରିଛନ୍ତି: ବିଜେପି
୧୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଓଡ଼ିଶା ଲୋକଙ୍କୁ ପ୍ରତାରଣା କରିଆସିଛନ୍ତି । କେବଳ ମିଛ ପ୍ରତିଶ୍ରୁତିର ପାହାଡ଼ ଉପରେ ଓଡ଼ିଆ ଲୋକଙ୍କୁ ଠିଆ କରାଇ ଠକିଛନ୍ତି ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ସେ କହିଛନ୍ତି, ୨୦୧୪ରେ ବିଜେଡ଼ି ଦେଇଥିବା ପ୍ରତିଶ୍ରୁତି ପାଳନ ନ କରି କେବଳ ପ୍ରତାରଣା କରିଛି । ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ସବୁ ପ୍ରତିଶ୍ରୁତି ପୂରଣ ହୋଇଛି କହି ଶତାବ୍ଦୀର ସବୁଠୁ ବଡ଼ ପ୍ରତାରଣା କରିଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି ।
Copyright © All rights reserved.