ପାଣି ପାଇପ୍ ଚ୍ୟାମ୍ବରରେ ଫଶିଲେ ମିସ୍ତ୍ରୀ, ମୃତ୍ୟୁ ପରେ ପରିବାର ଲୋକଙ୍କ କ୍ଷତିପୂରଣ ଦାବି
1 min read
ଭୁବନେଶ୍ୱର: ପାଣି ପାଇପ୍ ମରାମତି କରୁଥିବା ସମୟରେ ଅଚାନକ ପାଣି ଆସିଯିବାରୁ ବୁଧବାର ଅପରାହ୍ନରେ ଭୁବନେଶ୍ୱରରେ ସହିଦ ନଗର ଥାନା ଅନ୍ତର୍ଗତ ଭିଏସ୍ଏସ୍ ନଗର ଠାରେ ଜଣେ ମିସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ସହିଦ ନଗର ଅଂଚଳରେ ଏକ ପୁରୁଣା ପାଇପ୍ ସ୍ଥାନରେ ନୂଆଁ ପାଇପ ଲଗାଯାଉଥିଲା। ନୟାପଲ୍ଲୀର ଗଣପତି ବସ୍ତି ନିବାସୀ ବି ରୁଦ୍ର ଦୋରା ଆଜି ଅପରାହ୍ନରେ ପୁରୁଣା ପାଇପ୍ ସ୍ଥାନର ନୂଆଁ ପାଇପ୍ ଲଗାଉଥିଲେ।
ରୁଦ୍ର ଦୋରା ପାଇପ୍ ମରାମତି କାମରେ ଲାଗିଥିବା ବେଳେ ବିପରୀତ ଦିଗରୁ ପ୍ରବଳ ବେଗରେ ପାଣି ଆସିଥିଲା। ସୂତ୍ର ଅନୁସାରେ ଜନସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା ଯୋଗୁଁ ରୁଦ୍ରଙ୍କ ମୃତ୍ୟୁ ଘଟିଛି। କାରଣ ଜନସ୍ୱାସ୍ଥ୍ୟ ବିଭାଗ ଭୁଲବଶତଃ ପାଣି ଛାଡ଼ି ଦେଇଥିଲା। ଫଳରେ ଦୋରା ପାଇପ୍ ଭିତରେ ହିଁ ରହିଯାଇଥିଲେ। ପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ରୁଦ୍ର ଦୋରାଙ୍କ ମୃତ୍ୟୁ ପରେ ପରିବାର ଲୋକେ କ୍ଷତିପୂରଣ ଦାବି କରି ସହିଦ ନଗର ଥାନା ଘେରାଉ କରିଛନ୍ତି।