ନୂଆ ବର୍ଷ ପାଇଁ ପୂରା ସହର ଉତ୍ସବ ମୁଖର
1 min read
ଘଣ୍ଟା କଣ୍ଟାର ଗତି ଯେତେ ଆଗକୁ ବଢ଼ୁଛି, ହୃଦ୍ସ୍ପନ୍ଦନ ସେତେ ତୀବ୍ର ହେଉଛି। ଘରେ ଆଉ ମନ ଲାଗୁନି। ଘର ଓ ସହରର ଚାକଚକ୍ୟଠୁ ଦୂରେଇ ରହି କିଏ ପ୍ରକୃତି କୋଳରେ ବନ୍ଧୁମାନଙ୍କ ସାଙ୍ଗେ ବଣଭୋଜିରେ ମାତିଛି ତ ଆଉ କିଏ ପରିବାର ସହ ପର୍ଯ୍ୟଟନସ୍ଥଳୀ ବୁଲୁଛି। ପୁରୁଣା ବର୍ଷର ଶେଷ ମୁହୂର୍ତଗୁଡ଼ିକୁ ସ୍ମରଣୀୟ କରିବା ପାଇଁ ମସଗୁଲ ହୋଇଛି ସାରା ସହର। ପୁଣି ଅନେକ ନୂଆବର୍ଷକୁ ଟିକେ ନିଆରା ଢଙ୍ଗରେ ସ୍ୱାଗତ କରିବା ଓ ‘ଜିରୋ ନାଇଟ୍’ରେ ମଜ୍ଜିଯିବାକୁ ଚାହିଁ ବସିଛନ୍ତି। ଶୁଭେଚ୍ଛା ବାର୍ତ୍ତା ଓ ନିଆରା ଉପହାର ଦେଇ ମଧ୍ୟ ବନ୍ଧୁତ୍ବର ସ୍ମୃତିକୁ ଅନେକ ତାଜା ରଖୁଛନ୍ତି।
କଥା କହୁଛି ଗ୍ରିଟିଙ୍ଗ୍ସ, ଟେଡି
ସୋସିଆଲ୍ ମିଡିଆ ଚଳଚଞ୍ଚଳ ହେବା ପରଠୁ ଗ୍ରିଟିଙ୍ଗ୍ସର ଚାହିଦା କମିଛି। ମାତ୍ର ଗ୍ରିଟିଙ୍ଗ୍ସରେ ଅନ୍ତରର ଭାଷାକୁ ବ୍ୟକ୍ତ କରି ନିର୍ଦିଷ୍ଟ ବନ୍ଧୁଙ୍କ ନିକଟକୁ ପଠାଇବାରେ ଯେଉଁ ଆନନ୍ଦ, ତାହା ସମ୍ଭବତଃ ଅନ୍ଲାଇନ୍ ବାର୍ତାରେ ମିଳେ ନାହିଁ। ଅନ୍ଲାଇନ୍ରେ ପ୍ରସ୍ତୁତ ଗୋଟେ ବାର୍ତା ଶହ ଶହ ବ୍ୟକ୍ତିଙ୍କୁ ପଠାଯାଉଥିବାରୁ ସେଥିରେ ଅନ୍ତତଃ ନିର୍ଦିଷ୍ଟ ବନ୍ଧୁଙ୍କ ପ୍ରତି ଥିବା ଆବିଳତାକୁ ବ୍ୟକ୍ତ କରିହୁଏ ନାହିଁ। ଖାସ୍ ସେଇଥି ପାଇଁ ଏବେ ବି ଅନେକ ଯୁବପିଢ଼ି ଗ୍ରିଟିଙ୍ଗସ ଓ ନିଆରା ଉପହାର ଦେଇ ନୂଆବର୍ଷର ସ୍ମୃତିକୁ ତାଜା ରଖୁଛନ୍ତି। ଯୁଗକୁ ତାଳ ଦେଇ ଗ୍ରିଟିଙ୍ଗସ ବି ପଛରେ ପଡ଼ି ନାହିଁ। ଏପରି ଅନେକ ଗ୍ରିଟିଙ୍ଗ୍ସ ଉପଲବ୍ଧ ହେଉଛି, ଯାହା ଖୋଲିବା ମାତ୍ରେ ‘ହାପି ନିୟୁ ଇୟର… କହୁଛି। ଏଥିସହ ବନ୍ଧୁଙ୍କ ଉଦ୍ଦେଶ୍ୟରେ ପଦେ ଉଲ୍ଲେଖ କରିବା ପାଇଁ ମଧ୍ୟ କିଛି ଖାଲି ସ୍ଥାନ ରହିଛି।ଏଥିସହ ଅନେକ ଟେଡି ଉପହାର କିଣି ନେବାକୁ ପସନ୍ଦ କରୁଛନ୍ତି। ବିଶେଷକରି ପ୍ରେମୀ ଯୁଗଳଙ୍କୁ ଆକୃଷ୍ଟ କରିବା ପାଇଁ ଆସିଛି କପଲ୍ ଟେଡି। ଏହାକୁ ଧରିବା ମାତ୍ରେ ତାହା ‘ଆଇ ଲଭ୍ ୟୁ… ଉଚ୍ଚାରଣ କରୁଛି। ଜାଗମରାସ୍ଥିତ ଏକ ଉପହାର ଷ୍ଟୋର୍ର ସ୍ବତ୍ବାଧିକାରୀ ଲୋକନାଥ ପାତ୍ରଙ୍କ କହିବା ମୁତାବକ, ଗ୍ରିଟିଙ୍ଗ୍ସର ଦର ୨୫ଟଙ୍କାରୁ ନେଇ ୫ଶହ ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ କପଲ୍ ଟେଡିର ଦର ୨୫୦ ଟଙ୍କାରୁ ୧୨ଶହ ଟଙ୍କା ପର୍ଯ୍ୟନ୍ତ ରହିଛି।
ବଣଭୋଜି ସହ ପର୍ଯ୍ୟଟନ ବୁଲା
ନନ୍ଦନକାନନର ବଟାନିକାଲ୍ ଗାର୍ଡେନ ହେଉ ଅବା ଜୟଦେବ ବାଟିକାର ସ୍ୱତନ୍ତ୍ର କୁଞ୍ଜ। ଶିଖରଚଣ୍ଡୀ ହେଉ ଅବା ଧଉଳି ସବୁଠି ଏବେ ଭୋଜିର ଭିଡ଼। ନନ୍ଦନକାନନ ବଟାନିକାଲ୍ ଗାର୍ଡେନ୍ରେ ପିଣ୍ଡି ରହିଥିବା ବେଳେ ମୋଗଲ ଗାର୍ଡେନ୍ର ସୌନ୍ଦର୍ଯ୍ୟ, କାଞ୍ଜିଆ ହ୍ରଦ, କୃତ୍ରିମ ଝରଣାର ଆକର୍ଷଣକୁ ମନଭରି ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭୋଜି ପାଇଁ ଲୋକଙ୍କ ପସନ୍ଦ ତାଲିକାରେ ଦ୍ୱିତୀୟରେ ରହିଛି ଜୟଦେବ ବାଟିକା। ଏହା ମଧ୍ୟରେ ସର୍ବାଧିକ ପିଣ୍ଡି ରହିଥିବା ବେଳେ କୃତ୍ରିମ ଝରଣା, ଗୀତଗୋବିନ୍ଦର ପଦାବଳି ଓ ପ୍ରାକୃତିକ ବନରାଜିର ବୃହତ୍ ପରିସରରେ ସମୟ ବିତାଇବାକୁ ଭିଡ଼ ଲାଗୁଛି। ଡେରାସରେ କୃତ୍ରିମ ଝରଣା, ଗୋଡ଼ିବାରି, ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଆକର୍ଷଣ ଯୋଗୁଁ ବଣଭୋଜି ପାଇଁ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ସେହିଭଳି ଖଣ୍ଡଗିରି-ଉଦୟଗିରି ଓ ଶିଖରଚଣ୍ଡୀର ମନୋରମ ଦୃଶ୍ୟର ଅନୁଭବ ସାଙ୍ଗକୁ ପାଦଦେଶରେ ବଣଭୋଜି ପାଇଁ ଭରପୂର ସୁଯୋଗ ଲୋକଙ୍କୁ ଆକର୍ଷିତ କରୁଛି।