ପ୍ରଥମ ମାସରେ ରିଲିଜ୍ ହେଲା ଏହିସବୁ ଓଡ଼ିଆ ସିନେମା
1 min read
ଭୁବନେଶ୍ୱର: ୨୦୧୯ର ଜାନୁଆରି ମାସରେ ମୋଟ୍ ୬ଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି। ଜାନୁଆରି ୪ ତାରିଖରେ ପରଦାକୁ ଆସିଥିଲା ବର୍ଷର ପ୍ରଥମ ସିନେମା ‘ଏ ଦିଲ୍ ତତେ ଦେଲି’। ଏହାପରେ ୧୧ ତାରିଖରେ ଆସିଥିଲା ଦୁଇଟି ଓଡ଼ିଆ ସିନେମା। ଏଥିମଧ୍ୟରୁ ପ୍ରଥମଟି ହେଲା ତରଙ୍ଗ ସିନେ ପ୍ରଡକସନ୍ସର ‘ଚାଲ୍ ଟିକେ ଦୁଷ୍ଟ ହେବା’ ଓ ଅନ୍ୟଟି ହେଲା ସାର୍ଥକ୍ ମ୍ୟୁଜିକ୍ର ‘ବାପା ତମେ ଭାରି ଦୁଷ୍ଟ’ । ଦୁଇଟି ଯାକ ସିନେମା ଥିଲା ନୂଆ କଳାକାରଙ୍କର।
ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ଚାଲ ଟିକେ ଦୁଷ୍ଟ ହେବା’ରେ ନବାଗତ ରିସାନ୍,ମହିମାା ଓ ସିଆଲି ମୁଖ୍ୟ ଭୂମିକାରେ ଥିଲେ। ଏହି ତିନି ଟିନଏଜର ନାୟିକାଙ୍କୁ ନେଇ ଫିଲ୍ମଟି ପ୍ରସ୍ତୁତ ହୋଇଥିଲା। ଅବଶ୍ୟ ଏଥିରେ ମିହିର ଦାସ,ପ୍ରିୟଙ୍କା ଓ ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ବି ଥିଲେ। ଦୀର୍ଘ ଦିନ ବ୍ୟବଧାନରେ ବିଭୂତି ଭୂଷଣ ଗଡନାୟକ ଏହି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଓଲିଉଡକୁ ଫେରିଥିଲେ।
ଟି.ଗଣେଶଙ୍କ ନିର୍ଦ୍ଦେଶିତ ‘ବାପା ତମେ ଭାରି ଦୁଷ୍ଟ’ରେ ନାୟକ ଭୂମିକାରେ ଜୟଜିତ୍ ଓ ନାୟିକା ଭୂମିକାରେ ସମିତା ମଣ୍ଡଳଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ପ୍ରଦ୍ୟୁମ୍ନ ଲେଙ୍କାଙ୍କ ଚରିତ୍ରଟି ବେଶ୍ ମଜାଜାର୍ ଥିଲା। ଏହାପରେ ୧୩ ତାରିଖରେ ପରଦାକୁ ଆସିଥିଲା ଏବର୍ଷର ଚତୁର୍ଥ ସିନେମା ‘ଅଜବ ସଂଜୁର ଗଜବ ଲଭ୍’ । ଅଶୋକ ପତି ଥିଲେ ଏହାର ନିର୍ଦ୍ଦେଶକ। ଏଥିରେ ବାବୁସାନ୍ ଏବଂ ଅର୍ଚ୍ଚିତା ଥିଲେ ଲିଡ ରୋଲରେ।
ଏହାପରେ ପରଦାକୁ ଆସିଥିଲା ବହୁପ୍ରତୀକ୍ଷିତ ସିନେମା ‘ନିମ୍କି’। ଏହାର ନିର୍ଦ୍ଦେଶନା ଦେଇଥିଲେ ସୁଶାନ୍ତ ମଣି ଏଥିରେ ଜଣାଶୁଣା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଥିଲେ ଟାଇଟଲ୍ ରୋଲ୍ରେ । ଏହି ସିନେମା ଜାନୁଆରି ୨୩ ତାରିଖରେ ପରଦାକୁ ଆସିଥିଲେ। ଏହାର ସଙ୍ଗୀତ ନିର୍ଦ୍ଦେଶକ ହେଲେ ପ୍ରେମ ଆନନ୍ଦ।
ଜାନୁଆରି ୨୫ ତାରିଖରେ ୨୦୧୯ର ଷଷ୍ଠ ସିନେମା ‘ତୁ ମୋ’ସୁନା ଚଢେଇ ’ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ଜ୍ୟୋତି,ଏଲସା,ନବାଗତା ,ଶ୍ରେୟା,ଦୈତାରି ପଣ୍ଡା ଓ ରାଇମୋହନ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶକ ହେଲେ ଏସ୍.ଦିଲୀପ ପଣ୍ଡା। ଏହାର ସଙ୍ଗୀତ ନିର୍ଦ୍ଦେଶକ ହେଲେ ବୈଦନାଥ ଦାସ ।