Thu. Nov 21st, 2024

ରାହୁଲଙ୍କୁ ପ୍ରିୟଙ୍କା ଭରସା

1 min read
Spread the love

ନୂଆଦିଲ୍ଲୀ/ଲକ୍ଷ୍ନୌ,:ଉତ୍ତରପ୍ରଦେଶ ହେଉଛି ଦେଶର ସବୁଠୁ ବଡ଼ ରାଜ୍ୟ, ଯେଉଁଠୁ ୮୦ ଏମ୍‌ପି ଲୋକ ସଭାକୁ ନିର୍ବାଚିତ ହୋଇ ଯାଇଥାନ୍ତି। ରାଜନୈତିକ ଦୃଷ୍ଟିରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏହି ରାଜ୍ୟରେ ଯେଉଁ ଦଳ ଅଧିକ ଆସନ ଦଖଲ କରିଥାଏ, ସେହିଦଳକୁ କେନ୍ଦ୍ରରେ କ୍ଷମତା ହାତେଇବାରେ ବିଶେଷ ଅସୁବିଧା ହୋଇ ନ ଥାଏ। ଏହା ଅତୀତରେ ଏକାଧିକ ଥର ଦେଖିବାକୁ ମିଳିଛି। ଉଭୟ ରାଜ୍ୟ ଓ କେନ୍ଦ୍ରରେ ଭାଜପାକୁ କ୍ଷମତାଚ୍ୟୁତ କରିବା ଲାଗି ଏସ୍‌ପି ଏବଂ ବିଏସ୍‌ପି ମେଣ୍ଟ କରିବା ପରେ ଏକୁଟିଆ ହୋଇଯାଇଛି କଂଗ୍ରେସ। ଏଥିପାଇଁ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ‘ବ୍ରହ୍ମାସ୍ତ୍ର’ ଭାବେ ମଇଦାନକୁ ଓହ୍ଲାଇ ବିଜୟର ଆଶା ବାନ୍ଧିଛି ଦଳ।

  ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚେହେରା ସହ ପ୍ରିୟଙ୍କାଙ୍କ ମୁହଁର ସାମଞ୍ଜସ୍ୟ ରହିଛି। ଏଥିପାଇଁ ପ୍ରିୟଙ୍କାଙ୍କଠାରେ ଅନେକେ ଇନ୍ଦିରାଙ୍କୁ ଦେଖିଥାନ୍ତି। ପ୍ରିୟଙ୍କା ପୂର୍ବରୁ ସକ୍ରିୟ ରାଜନୀତିରେ ଯୋଗଦେବା ପାଇଁ ମନାକରୁଥିଲେ। ହେଲେ କଂଗ୍ରେସ ପାଖରେ ଅନ୍ୟ କିଛି ବିକଳ୍ପ ନ ଥିବାରୁ ଶେଷରେ ସେ ଦଳର ଭରସା ପାଲଟିଛନ୍ତି। ପୂର୍ବରୁ ଲୋକ ସଭା ନିର୍ବାଚନ ବେଳେ ମା’ ସୋନିଆ ଗାନ୍ଧୀଙ୍କ ରାଏବରେଲି ଓ ଭାଇ ରାହୁଲ ଗାନ୍ଧୀଙ୍କ ଅମେଠି ଆସନରେ ସୀମିତ ରହୁଥିବା ପ୍ରିୟଙ୍କାଙ୍କ କାନ୍ଧରେ ଏବେ ଗୁରୁଦାୟିତ୍ୱ ଦିଆଯାଇଛି। ଏହାକୁ କଂଗ୍ରେସର ଏକ ସ୍ବତନ୍ତ୍ର ରଣନୀତି ମନେକରାଯାଉଛି। ପ୍ରିୟଙ୍କାଙ୍କ ଯାଦୁକରି କୌଶଳ, ବୁଦ୍ଧିମତ୍ତା ଓ ସବୁ ବର୍ଗର ଲୋକଙ୍କ ସହ ମିଳାମିଶା ଆଦି କେବଳ ୟୁପିରେ ନୁହେଁ, ବରଂ ସାରା ଦେଶରେ କଂଗ୍ରେସ ପାଇଁ ଲାଭଦାୟକ ହେବ ବୋଲି ଦଳୀୟ ନେତାମାନେ କହୁଛନ୍ତି। ତେବେ ଏସବୁ ବାରାଣସୀ ଏମ୍‌ପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିଜୟରଥକୁ ରୋକିବାରେ କେତେ ସହାୟକ ହେବ ତାହା ସମୟ କହିବ। କାରଣ ପ୍ରିୟଙ୍କାଙ୍କୁ ଏଭଳି ସମୟରେ ଏଆଇସିସି ସାଧାରଣ ସମ୍ପାଦକ ପଦ ଦେଇ ପୂର୍ବ ୟୁପି ଦାୟିତ୍ୱ ଦିଆଯାଇଛି, ଯେତେବେଳେ କଂଗ୍ରେସ ଏକ ଜଟିଳ ସ୍ଥିତି ଦେଇ ଗତିକରୁଛି ଏବଂ ଭାରତୀୟ ରାଜନୀତିକୁ ଭାଜପା ଏକପ୍ରକାର ଅକ୍ତିଆର କରି ରଖିଛି। ପ୍ରିୟାଙ୍କାଙ୍କୁ ଦାୟିତ୍ୱ ଦିଆଯିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ନିଜ ସଂସଦୀୟ ଆସନ ଅମେଠି ଗସ୍ତ କରିଛନ୍ତି। ସେଠାରେ ଚାରିଆଡ଼େ ପୋଷ୍ଟର ଛାଇହୋଇ ଯାଇଛି, ଯହିଁରେ ଲେଖାଅଛି- ‘ଅମେଠିର ଏମ୍‌ପି ୨୦୧୯ର ପିଏମ୍‌’। 

Leave a Reply

Your email address will not be published.

Copyright © All rights reserved.