ରାଜସ୍ବ ହ୍ରାସ ନେଇ ହେବ ମାନସ ମନ୍ଥନ
1 min readନୂଆଦିଲ୍ଲୀ,୧୮|୧୨ – ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ବୁଧବାର ଜିଏସ୍ଟି ପରିଷଦ ବୈଠକ ଅନୁଷ୍ଠିତ ହେବ। ଏଠାରେ କେନ୍ଦ୍ର ସରକାରଙ୍କ ରାଜସ୍ବ ହ୍ରାସ, ଟିକସ ଢାଞ୍ଚା ଏବଂ ରାଜ୍ୟଗୁଡିକୁ ଜିଏସ୍ଟି କ୍ଷତିପୂରଣ ଭଳି ପ୍ରମୁଖ ପ୍ରସଙ୍ଗଗୁଡିକରେ ମାନସ ମନ୍ଥନ ହେବ। ଏବେ ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ଲାଗି ରହିଥିବାରୁ ସେସ୍ ବା ଉପକର ଏବଂ ଜିଏସ୍ଟି ହାରରେ ବୃଦ୍ଧି ନେଇ ପଶ୍ଚିମବଙ୍ଗ ସମେତ କିଛି ରାଜ୍ୟ ବିରୋଧ କରୁଛନ୍ତି। ବର୍ତ୍ତମାନ ଖାଉଟି ଏବଂ ଶିଳ୍ପ ଏବେ ଖରାପସ୍ଥିତି ଦେଇ ଗତି କରୁଥିବାରୁ ଏ ସମୟରେ ଜିଏସ୍ଟି ବୃଦ୍ଧିକୁ ରାଜ୍ୟଗୁଡିକ ନାପସନ୍ଦ କରୁଛନ୍ତି। ମାତ୍ର ରାଜସ୍ବ ହ୍ରାସ ବୃହତ୍ ଥିବାରୁ ଏହାର ଭରଣା ଲାଗି ଜିଏସ୍ଟିରେ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି।
ରାଜସ୍ବ ବୃଦ୍ଧି ଲାଗି ବିଭିନ୍ନ ସାମଗ୍ରୀ ଉପରେ ଜିଏସ୍ଟି, ଜିଏସ୍ଟି କ୍ଷତିପୂରଣ ସେସ୍ ବୃଦ୍ଧି, ହାରରେ ପରିବର୍ତ୍ତନ, ଅନୁପାଳନ, ଏବଂ ଟିକସ ଢାଞ୍ଚାରେ ତର୍ଜମା ପାଇଁ ପରାମର୍ଶ ଲୋଡାଯାଇଥିଲା। ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ କହିଛନ୍ତି ଯେ, ଜିଏସ୍ଟି ପରିଷଦ ପକ୍ଷରୁ ରାଜ୍ୟଗୁଡିକୁ ଏକ ଚିଠି ଲେଖାଯାଇଛି। ଟିକସ ପରିସରରୁ ବାହାରେ ରଖାଯାଇଥିବା ସାମଗ୍ରୀ ଉପରେ ଟିକସ ଲାଗୁ ହେବ କି ନାହିଁ ସେ ସମ୍ପର୍କରେ ପରାମର୍ଶ ଲୋଡା ଯାଇଛି। ଏହା ଅତ୍ୟନ୍ତ କ୍ଷତିକାରକ। ବର୍ତ୍ତମାନର ଟିକସ ଢାଞ୍ଚାରେ କୌଣସି ପରିବର୍ତ୍ତନ ନ ହେବା ଆବଶ୍ୟକ। ଏହାବାଦ କୌଣସି ନୂଆ ସେସ୍ ଲାଗୁ ନ ହେବା ଉଚିତ। କାରଣ ମୁଦ୍ରାସ୍ଫୀତି ଏବଂ ମାନ୍ଦାବସ୍ଥା ଯୋଗୁ ଶିଳ୍ପ ଏବଂ ଖାଉଟି ଏବେ ପ୍ରଭାବିତ ସ୍ଥିତିରେ ରହିଥିବା ମିତ୍ର ଚିଠିରେ ଉଲ୍ଲେଖ କରିଛନ୍ତି।