ଷ୍ଟକ୍ ବଜାରରେ କରୋନା ପ୍ରଭାବ
1 min readମୁମ୍ବାଇ: କରୋନା ଭୂତାଣୁର ମୁକାବିଲା ସମ୍ଭବ ହେଉନଥିବାରୁ ସାରା ବିଶ୍ବର ନିବେଶକମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏହା ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରିବାର ଆଶଙ୍କା ରହିଥିବାରୁ ନିବେଶକମାନେ ନିଜ ପାଖରେ ଥିବା ସେୟାରକୁ ବିକ୍ରି କରିଦେଉଛନ୍ତି। ଏହାର ପ୍ରଭାବରେ ଆଜି ବମ୍ବେ ଷ୍ଟକ ବଜାରରେ ନିବେଶକମାନେ ସେୟାର ବିକ୍ରି କରିବା ଯୋଗୁଁ ସେନ୍ସେକ୍ସରେ ୮୦୬ ପଏଣ୍ଟ୍ ଭଳି ବଡ଼ ଧରଣର ହ୍ରାସ ଘଟିଛି। ଏଥି ସହିତ ସେମାନେ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର କ୍ଷତି ସହିଛନ୍ତି। ଚୀନ୍ରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ଦକ୍ଷିଣ କୋରିଆ, ଇଟାଲି ଏବଂ ଇରାନକୁ ବ୍ୟାପୀ ଥିବାରୁ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ଖବର ପ୍ରଚାରିତ ହେବା ପରେ ବିଶ୍ବର ପ୍ରମୁଖ ଷ୍ଟକ ବଜାରଗୁଡ଼ିକରେ କାରବାର ଆଜି ମାନ୍ଦା ରହିଥିଲା। ତାହାର ପ୍ରତିଫଳନ ବମ୍ବେ ଷ୍ଟକ ବଜାର କାରବାର ଉପରେ ମଧ୍ୟ ଦେଖିବାକୁ ମିଳିଥିଲା। ଆଜି ସେନ୍ସେକ୍ସ ୮୦୬ ପଏଣ୍ଟ୍ ହ୍ରାସ ପାଇ ୪୦,୩୬୩ ପଏଣ୍ଟ୍ରେ ବନ୍ଦ ହୋଇଛି। ସେହିପରି ଜାତୀୟ ଷ୍ଟକ ବଜାରର ନିଫ୍ଟି ୨୪୨ ପଏଣ୍ଟ୍ ହ୍ରାସ ପାଇ ୧୧,୮୩୮ ପଏଣ୍ଟ୍ରେ ବନ୍ଦ ହୋଇଛି। ବିଗତ ତିନି ସପ୍ତାହ ଭିତରେ ସେନ୍ସେକ୍ସରେ ଗୋଟିଏ ଦିନରେ ଏହା ହେଉଛି ସବୁଠୁ ବଡ଼ ଧରଣର ହ୍ରାସ। ସେନ୍ସେକ୍ସରେ ଘଟିଥିବା ହ୍ରାସ ଯୋଗୁଁ ବମ୍ବେ ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା କଂପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୧୫୫.୩ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ଗତ ଶୁକ୍ରବାର ମୋଟ ବଜାର ପୁଞ୍ଜି ପରିମାଣ ୧୫୮.୫ ଲକ୍ଷ କୋଟି ଟଙ୍କା ଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଭାରତ ଗସ୍ତ ମଧ୍ୟ କୌଣସି ପ୍ରକାରରେ ଷ୍ଟକ ବଜାର କାରବାରକୁ ପ୍ରଭାବିତ କରିପାରିନାହିଁ। ଯେହେତୁ ଏଥର କୌଣସି ବାଣିଜ୍ୟ ବୁଝାମଣା ଘୋଷଣା ହେବାର ନାହିଁ ତେଣୁ ନିବେଶକମାନେ ଟ୍ରମ୍ପ୍ଙ୍କ ଗସ୍ତକୁ ଏତେଟା ଗୁରୁତ୍ବ ଦେଉନାହାନ୍ତି।