ତୈଜସ
1 min readଋଷିମାନଙ୍କର ସଂସ୍କୃତ ଭାଷାରେ ସ୍ବପ୍ନଦ୍ରଷ୍ଟାକୁ ‘ତୈଜସ’ କୁହାଯାଏ । ଶରୀର ସହିତ ତାଦାତ୍ମ୍ୟ କରିଥିବା ଜୀବନ ନିଜର ସ୍ବରୂପ ସମ୍ବନ୍ଧରେ ନ ଜାଣି ଭୌତିକ ଜଗତକୁ ଦେଖେ ଏବଂ ନିଜର ମିଥ୍ୟା ଉପଲବ୍ଧିରେ ଭ୍ରମିତ ହୋଇ ଜାଗ୍ରତ ଅବସ୍ଥା ଅନୁଭବ କରେ ଏବଂ ଏହି ପ୍ରକାରେ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିତ୍ବ ଭାବରେ ବୈଶ୍ବାନର ନାମରେ ନାମିତ ହୁଏ । ବର୍ତ୍ତମାନ ସେହି ଜୀବନୀ ଶକ୍ତି ବାହ୍ୟ ଜଗତର ଲୀଳାଖେଳରୁ ନିଜକୁ ଅପସାରିତ କରି ସୂକ୍ଷ୍ମ ଶରୀର ସହିତ ତାଦାତ୍ମ୍ୟ ସ୍ଥାପନ କରି ସ୍ବପ୍ନଦ୍ରଷ୍ଟା ବା ତୈଜସ୍ ନାମକ ଏକ ସ୍ଵତନ୍ତ୍ର ବ୍ୟକ୍ତିତ୍ଵ ସୃଷ୍ଟି କରେ । ତୈଜସର ସ୍ଵପ୍ନରେ ରହିଛି ତା’ର ନିଜର ଅନୁଭୂତ ଜଗତ । ସ୍ଵପ୍ନ ଦେଖୁଥିବା ସମୟରେ ସ୍ଵପ୍ନଦ୍ରଷ୍ଟା ପାଇଁ ସ୍ଵପ୍ନଟି ପୂରାପୂରି ବାସ୍ତବ ହେଲେ ମଧ୍ୟ ପ୍ରକୃତରେ ଆମେ ଜାଣୁ ଯେ, ସ୍ଵପ୍ନ ଜଗତ ସ୍ଵପ୍ନଦ୍ରଷ୍ଟାର ଏକ ମାନସିକ ସୃଷ୍ଟି ବ୍ୟତୀତ ଅନ୍ୟ କିଛି ନୁହେଁ । ଜାଗ୍ରତ ଅବସ୍ଥାରେ ଭୌତିକ ଜଗତ ଅନୁଭବ କରୁଥିବାବେଳେ ମନ କେତେକ ଅସ୍ପଷ୍ଟ ସ୍ମୃତି ସଂଗ୍ରହ କରେ ଏବଂ ସ୍ଵପ୍ନ ଦେଖିବା ସମୟରେ ସ୍ଵପ୍ନଦ୍ରଷ୍ଟାର ମନର ଏକ ଅଂଶ ନିଜ ମନର ଅନ୍ୟ ଅଂଶରେ ଏହି ସ୍ମୃତିର ପର୍ଯ୍ୟବେକ୍ଷଣ କରେ । ତେଣୁ ସ୍ଵପ୍ନଦ୍ରଷ୍ଟା ବା ତୈଜସ ସୂକ୍ଷ୍ମ ପଦାର୍ଥ ଜଗତ ଉପଭୋଗ କରେ, କାରଣ ସେ କେବଳ ଅନ୍ତଃଜଗତ ବିଷୟରେ ସଚେତନ ଥାଏ । ତେଣୁ ତୈଜସର କର୍ମକ୍ଷେତ୍ର ହେଲା ସ୍ଵପ୍ନ ଜଗତ । ବୈଶ୍ବାନର ଏବଂ ତୈଜସ ବା ଜାଗ୍ରତ ପୁରୁଷ ଏବଂ ସ୍ୱପ୍ନଦ୍ରଷ୍ଟା ଉଭୟ ହେଉଛନ୍ତି ଆମଠାରେ ଥିବା ଆଧ୍ୟାତ୍ମିକ ସତ୍ତାର ଅଂଶ ବିଶେଷ । ଶୁଦ୍ଧ ଚୈତନ୍ୟ ସ୍ଥୂଳ ଶରୀର ସହିତ ତାଦାତ୍ମ୍ୟ ସ୍ଥାପନ କରି ବୈଶ୍ଵାନର ଅଂଶରେ କାମ କରେ ଏବଂ ସେହି ସତ୍ୟ ବା ଚୈତନ୍ୟ ତତ୍ତ୍ଵ ସୂକ୍ଷ୍ମ ଶରୀର ସହିତ ତାଦାତ୍ମ୍ୟ କରି ସ୍ଵପ୍ନଦ୍ରଷ୍ଟା ହୁଏ ଏବଂ ତୈଜସ ଭାବରେ ସ୍ଵପ୍ନ ଜଗତର ଅନୁଭବ କରେ ।