ନିର୍ବାଚନରେ ହାରିଯିବା ପରେ ପ୍ରାର୍ଥୀଙ୍କ ସ୍ୱାମୀ ଘରଘର ବୁଲି ଭୋଟରମାନଙ୍କୁ ଫେରସ୍ତ ମାଗୁଛନ୍ତି ‘ଭୋଟ ପାଇଁ ଦେଇଥିବା ନୋଟ’
1 min read
ତେଲେଙ୍ଗାନା: ତେଲେଙ୍ଗାନାରେ ସଦ୍ୟସମାପ୍ତ ଓ୍ଵାର୍ଡ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜନୈକା ମହିଳା ପ୍ରାର୍ଥୀ ନିର୍ବାଚନରେ ହାରିଯିବା ପରେ ଏବେ ତାଙ୍କ ସ୍ୱାମୀ ଘର ଘର ବୁଲି ନିର୍ବାଚନରେ ଭୋଟଦେବା ପାଇଁ ଭୋଟରମାନଙ୍କୁ ଦେଇଥିବା ଅର୍ଥ ଫେରସ୍ତ ମାଗିବା ଘଟଣା ଏବେ ସମଗ୍ର ତେଲେଙ୍ଗାନାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିସହ ମହିଳା ପ୍ରାର୍ଥୀଙ୍କ ସ୍ୱାମୀ ନିର୍ବାଚନରେ ପରାଜୟ ପରେ ‘ଭୋଟ ପାଇଁ ଦେଇଥିବା ନୋଟ’ ଫେରସ୍ତ ମାଗିବାର ଘଟଣାର ଭିଡିଓ ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି।
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ତେଲେଙ୍ଗାନାରେ ସଦ୍ୟ ଅନୁଷ୍ଠିତ ହୋଇଥିବା ଓ୍ଵାର୍ଡ ନିବାଚନରେ ତେଲେଙ୍ଗାନାର ସୂର୍ଯ୍ୟପେଟା ଜିଲ୍ଲା ଅଧୀନସ୍ଥ ୯ ନମ୍ବର ଓ୍ଵାର୍ଡରୁ ଶାସକ ଟିଆରଏସ୍ ଦଳର ପ୍ରାର୍ଥୀ ଭାବେ ଉପ୍ପୁ ହୈମବତୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ନିର୍ବାଚନ ପ୍ରଚାର କାଳରେ ହୈମବତୀ ଓ ତାଙ୍କ ସ୍ୱାମୀ ଘର ଘର ବୁଲି ଭୋଟରମାନଙ୍କୁ ୫୦୦ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ବାଣ୍ଟି ଥିଲେ ଓ ‘ନୋଟ ବଦଳରେ ଭୋଟ’ ଦେବାକୁ କହିଥିଲେ। ତେବେ, ଏହି ନିର୍ବାଚନରେ ହୈମବତୀ ମାତ୍ର ୨୪ ଖଣ୍ଡ ଭୋଟ ପାଇ ନିର୍ବାଚନ ହାରି ଯାଇଥିଲେ।
ତେବେ, ହୈମବତୀ ନିର୍ବାଚନରେ ହାରିଯିବା ପରେ ଏବେ ତାଙ୍କ ସ୍ୱାମୀ ପ୍ରଭାକର ଭୋଟରମାନଙ୍କ ଘର ଘରବୁଲି ସେମାନଙ୍କୁ ‘ଭୋଟ ପାଇଁ ଦେଇଥିବା ନୋଟ’କୁ ଫେରସ୍ତ ମାଗୁଛନ୍ତି ଏବଂ ଯେଉଁ ଭୋଟର ନୋଟ ଫେରାଇବାରେ ନିଜର ଅସାମର୍ଥ୍ୟତା ପ୍ରକାଶ କରୁଛି ତାକୁ ମାଡ଼ ମାରିବାର ଧମକ ଦେଉଛନ୍ତି। ଏହି ଘଟଣାର ଭିଡିଓ ଗଣମମାଧ୍ୟମରେ ପ୍ରସାରିତ ହେବା ପରେ ଏହାକୁ ନେଇ ଏବେ ତେଲେଙ୍ଗାନାରେ ଚର୍ଚ୍ଚା ଚାଲିଛି।