ମୃତ୍ୟୁ ଏମିତି ବି ଆସେ | ଫୁଟବଲ ଖେଳୁଥିବାବେଳେ ହଠାତ ହେଲା ବଜ୍ରାଘାତ | ଆଉ ଟଳିପଡିଲେ ଖେଳାଳି | ଅନେକ ସମୟରେ ଖେଳୁଥିବାବେଳେ ଖେଳାଳିମାନେ ଆହତ ହେଉଥିବାର ଦେଖାଯାଏ, କିନ୍ତୁ ଅନେକ ଥର ଖେଳାଳି ଖେଳିବାର ସ୍ୱପ୍ନ ନେଇ ଯଦିଓ ପଡ଼ିଆକୁ ଖେଳିବାକୁ ଆସିଥାନ୍ତି, କିନ୍ତୁ ସତେ ଯେମିତି ସେଠାରେ ଯମ ଅପେକ୍ଷା କରି ରହିଥାଏ | ଇଣ୍ଡୋନେସିଆରେ ଏଭଳି ଏକ ଘଟଣା ଘଟିଛି | ବାସ୍ତବରେ ଇଣ୍ଡୋନେସିଆରେ ଏକ ଫୁଟବଲ୍ ମ୍ୟାଚ୍ ଖେଳାଯାଉଥିବାବେଳେ ହଠାତ୍ ଆକାଶରୁ ଜଣେ ଖେଳାଳିଙ୍କ ଉପରେ ବଜ୍ରପାତ ହୋଇଥିଲା ଏବଂ ସେହି ଖେଳାଳିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା |
ଇଣ୍ଡୋନେସିଆର ସିଲିବାଙ୍ଗି ଷ୍ଟାଡିୟମରେ ଏଫସି ବେଣ୍ଡଙ୍ଗ ଓ ଏଫବିଆଇ ଶୁବାଙ୍ଗ ନାମକ ଦୁଇ ଦଳ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯାଉଥିଲା | ଠିକ ଏହି ସମୟରେ ସେପ୍ଟେନ ରହରଜା ନାମକ ଖେଳାଳିଙ୍କ ଉପରେ ବଜ୍ରାଘାତ ହୋଇଥିଲା | ଏହାପରେ ଖେଳାଳି ଜଣକ ବେହୋସ ହୋଇପଡିଥିଲେ ଓ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା | ତେବେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ | ବଡ଼କଥା ଯେ ଏହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଯେଉଁଥିରେ ବଜ୍ରାଘାତର ଦୃଶ୍ୟ ଦେଖିବାକୁ ମିଳିଛି | ଆଉ ବଜ୍ରାଘାତ ପରେ ଖେଳାଳି ଜଣକ କିଭଳି ଟଳିପଡୁଛନ୍ତି ତାହା ମଧ୍ୟ ଦେଖିବାକୁ ମିଳିଛି |