ୟୁଟ୍ୟୁବରେ ଅଶ୍ଳୀଳ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ। ୟୁଟ୍ୟୁବର୍ ରଣବୀର ଆଲ୍ଲାବାଦିଆଙ୍କ ଆଶାଳୀନ ମନ୍ତବ୍ୟ ଚର୍ଚ୍ଚା ପରେ ଅଦାଲତ ଏହି ନୋଟିସ୍ ଜାରି କରିଛନ୍ତି।
ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ୟୁଟ୍ୟୁବରେ ଅଶ୍ଳୀଳ ବିଷୟବସ୍ତୁକୁ ନେଇ କହିଛନ୍ତି କି ୟୁଟ୍ୟୁବର୍ସମାନେ ଅନଲାଇନ୍ ପ୍ଲାଟଫର୍ମରେ ନିୟମର ଅପବ୍ୟବହାର କରୁଛନ୍ତି।
ୟୁଟ୍ୟୁବ୍ ପ୍ଲାଟଫର୍ମରେ ପ୍ରଦର୍ଶିତ ହାସ୍ୟ ଅଭିନେତା ସମୟ ରାଇନାଙ୍କ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍’ ସୋ’ରେ ରଣବୀର ଆଲ୍ଲାବାଦିଆଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ତାଙ୍କ ବିରୋଧରେ ଏକାଧିକ ମାମଲା ଦାୟର ହେବା ପରେ ମାମଲା ସୁପ୍ରିମ୍କୋର୍ଟକୁ ଯାଇଥିଲା। ରଣବୀର ଆଲ୍ଲାବାଦିଆଙ୍କ ଆବେଦନର ଶୁଣାଣି କରିବା ପରେ ସୁପ୍ରିମକୋର୍ଟ ଏହି ପର୍ଯ୍ୟବେକ୍ଷଣ ଦେଇଛନ୍ତି।
ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଏନ୍ କୋଟିଶ୍ୱର ସିଂହଙ୍କ ଦ୍ବାରା ଗଠିତ ଖଣ୍ଡପୀଠ କେନ୍ଦ୍ରକୁ ନୋଟିସ ଜାରି କରି କହିଛନ୍ତି ଯେ ଯଦି ସରକାର ୟୁଟ୍ୟୁବ୍ରେ ଅନଲାଇନ୍ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେବାକୁ ଯୋଜନା କରନ୍ତି, ତେବେ ଖଣ୍ଡପୀଠ “ବହୁତ ଖୁସି” ହେବେ।
ଉଲ୍ଲେଖଯୋଗ୍ୟ, ହାସ୍ୟ ଅଭିନେତା ସମୟ ରାଇନାଙ୍କ ଦ୍ୱାରା ପରିଚାଳିତ ୟୁଟ୍ୟୁବ୍ ରିୟଲିଟି ସୋ’’ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ର ଏକ ଅଧ୍ୟାୟକୁ ରଣବୀର ଅତିଥି ହୋଇ ଯାଇଥିଲେ। ଏହି ସମୟରେ ସେ ଜଣେ ପ୍ରତିଯୋଗୀଙ୍କୁ ପ୍ରଶ୍ନ କରିଥିଲେ, “ତୁମେ କ’ଣ ତୁମ ବାପାମାଙ୍କୁ ଜୀବନସାରା ପ୍ରତିଦିନ ଶାରୀରିକ ସମ୍ପର୍କ ରଖୁଥିବାର ଦେଖିବାକୁ ପସନ୍ଦ କରିବ ନା ଥରେ ଏଥିରେ ସାମିଲ ହୋଇ ସବୁଦିନ ପାଇଁ ବନ୍ଦ କରିଦେବ?” ତାଙ୍କର ଏହି ପ୍ରଶ୍ନ କାହାକୁ ପସନ୍ଦ ଆସିନଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ୟୁଟ୍ୟୁବ୍ ଏବେ ସେହି ଭିଡିଓକୁ ଡିଲିଟ୍ କରିଦେଇଛି।